୧୪ ଦିନିଆ ଲକଡାଉନରେ କଣ ବନ୍ଦ, କଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ବଳବତ୍ତର ରହିବ । ଲକଡାଉନ୍ ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ୱିକେଣ୍ଡ ସଟଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ ।

ଲକଡାଉନ୍ ସମୟରେ ସାଧାରଣ ପରିବହନ ସେବା ଯେମିତି ବସ୍ ସେବା ବନ୍ଦ ରହିବ । ମେଡିକାଲ ଛଡ଼ା ଅନ୍ୟ କୌଣସି ପରିସ୍ଥିତିରେ ଆନ୍ତଃରାଜ୍ୟ ଯାତାୟତ କରିପାରିବେ ନାହିଁ । ସମସ୍ତ ପ୍ରକାର ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ । ଗାଇଡଲାଇନ୍ ଅନୁସାରେ ମତଦାନ ହୋଇପାରିବ ।

ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବା ସହ ଜଡ଼଼ିତ ସମସ୍ତ ସଂସ୍ଥା ଓ କାର୍ଯ୍ୟାଳୟ ଖୋଲା ରହିବ । ଆରବିଆଇ ଏବଂ ଆରବିଆଇ ଦ୍ୱାରା ପରିଚାଳିତ ଆର୍ଥିକ ସଂସ୍ଥା, ଏଟିଏମ ସେବା, ବ୍ୟାଙ୍କ ଖୋଲା ରହିବ ।

ପେଟ୍ରୋଲ୍ ପମ୍ପ, ଏଲପିଜି ସିଲିଣ୍ଡର କେନ୍ଦ୍ର ଖୋଲା ରହିବ । ପୋଷ୍ଟ ଅଫିସ ଖୋଲା ରହିବ । ଟେଲିକମ୍, ଡିଟିଏଚ୍, ଇଣ୍ଟରନେଟ୍ ସେବାରେ କାର୍ଯ୍ୟରତ ଲୋକଙ୍କୁ ଯାତାୟତ ଅନୁମତି ରହିଛି । ଏହି ସମୟରେ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଅନଲାଇନ୍ ଡେଲିଭରୀ ସେବା ଜାରି ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ । ସମସ୍ତ ପ୍ରକାର ଚାଷକାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପାଞ୍ଚଳ କୋଭିଡ୍ ଗାଇଡଲାଇନ୍ ମାନି କାର୍ଯ୍ୟ କରିବେ ।

ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅନ୍ୟମାନେ ଘରୁ କାର୍ଯ୍ୟ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ହ୍ୟାଣ୍ଡ ସାନିଟାଇଜ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ।

Leave A Reply

Your email address will not be published.